ଚୀନ ରସୁଣରେ କ୍ୟାନ୍ସର ଭୟ ! ଭାରତରେ ବ୍ୟାନ୍ ପରେ ବି ମାର୍କେଟରେ ହେଉଛି ବିକ୍ରି...
ରସୁଣ ଖାଇବା ଦ୍ୱାରା ଶରୀରକୁ ଔଷଧୀୟ ଗୁଣ ମିଳିଥାଏ। ଆୟୁର୍ବେଦ ଠାରୁ ଆରମ୍ଭ କରି ଚୀନ ଔଷଧ ପର୍ଯ୍ୟନ୍ତ ରସୁଣକୁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଇଛି। କିନ୍ତୁ ଚୀନରେ ଚାଷ ହେଉଥିବା ରସୁଣ ଭାରତରେ ନିଷିଦ୍ଧ କରାଯାଇଛି। ଅନେକ ଦେଶ ମଧ୍ୟ ଚୀନ ରସୁଣକୁ ବ୍ୟାନ୍ କରିଛନ୍ତି। ଏହାକୁ ଖାଇବା ଦ୍ୱାରା  ଶରୀରର କୋଷ ଗୁଡ଼ିକୁ ଏହା କ୍ଷତି ପହଞ୍ଚାଏ ଓ କର୍କଟ ରୋଗର ଆଶଙ୍କା ବଢ଼ିଯାଏ।
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜିନିଷ ଗୁଡ଼ିକୁ ବ୍ୟାନ୍ କରିଛି। ଏଥିରେ କ୍ଷତିକାରକ ଉପାଦାନ ଅଧିକ ପରିମାଣରେ ଦେଖାଯାଏ। FSSAI ଭାରତରେ ଚୀନ ରସୁଣର ବିକ୍ରି  ଓ କିଣାକୁ କଡ଼ାକଡ଼ି ବ୍ୟାନ୍ କରିଛି। ତଥାପି, କୌଣସି ପ୍ରକାରେ ଅସାଧୁ ବ୍ୟବସାୟୀଙ୍କ ମାଧ୍ୟମରେ ଏହା ଭାରତୀୟ ବଜାରରେ ପହଞ୍ଚିଥାଏ। 
ବର୍ତ୍ତମାନ ସମୟରେ ମଧ୍ୟ ଏହାର ବିକ୍ରି ଦେଖିବାକୁ ମିଳୁଛି। ଲୋକମାନେ ନକଲି ରସୁଣକୁ କିପରି ଚିହ୍ନିବେ ତାହା ଜାଣନ୍ତି ନାହିଁ ଓ ଅଜାଣତରେ ଏହାକୁ ଖାଇଥାନ୍ତି । ଏଥିରେ କୌଣସି ପୁଷ୍ଟିକର ଖାଦ୍ୟ ନାହିଁ, ଫଳରେ  ରୋଗର ଆଶଙ୍କା ବଢ଼ିଯାଏ।
ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ଲିଗନ ରିଭ୍ୟୁ ରିପୋର୍ଟରେ କୁହାଯାଇଛି, FSSAI ୨୦୧୯ ମସିହାରେ ଚୀନ୍ ରସୁଣ ଆମଦାନୀକୁ ବ୍ୟାନ୍ କରିଥିଲା। କାରଣ ଏଥିରେ ମିଳିଥିବା ବିପଦପୂର୍ଣ୍ଣ କୀଟନାଶକର ପରିମାଣ ଲିମିଟ ଠାରୁ ବହୁତ ଅଧିକ ଥିବା ଦେଖିବାକୁ ଥିଲା। ଫଳରେ ଏହାକୁ ଖାଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ।
ଭାରତରେ ରସୁଣ ଚାଷ ପାଇଁ ପାରମ୍ପରିକ ପଦ୍ଧତିର ବ୍ୟବହାର କରାଯାଏ। କିନ୍ତୁ ଚୀନରେ ହାଇ ଟେକ୍ନୋଲୋଜି ପଦ୍ଧତି ଅନୁସରଣ କରାଯାଏ। ଫସଲକୁ କ୍ଷତି ହେବାରୁ ରକ୍ଷା କରିବା ପାଇଁ ପ୍ରଚୁର ପରିମାଣରେ କୀଟନାଶକ ଓ ସାର ବ୍ୟବହାର କରାଯାଏ। ଏଗୁଡ଼ିକ ମାଟି ମାଧ୍ୟମରେ ଫଳ ଓ ପନିପରିବା ଭିତରେ ପହଞ୍ଚିଥାଏ।
କ୍ୟାନ୍ସରକୁ ନେଇ ଡର: 
କୀଟନାଶକର ବିପଦ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ୟାଖ୍ୟା କରିଛି। ସଂଗଠନ କହିଛି, ଯଦି ବହୁ ପରିମାଣର କୀଟନାଶକ ଦୀର୍ଘ ଦିନ ଧରି ଶରୀରରେ ପ୍ରବେଶ କରି ଚାଲିଥାଏ, ତେବେ ଶରୀରରେ ଅଧିକ ବିଷକ୍ରିୟା କିମ୍ବା ଦୀର୍ଘକାଳୀନ ରୋଗର କାରଣ ହୋଇପାରେ। ଏହି ସମସ୍ୟା ଗୁଡ଼ିକ ମଧ୍ୟରେ କର୍କଟ ରୋଗର ଆଶଙ୍କା ଓ  ପ୍ରଜନନ କ୍ଷମତା ହ୍ରାସର ଭୟ ସୃଷ୍ଟି କରିପାରେ ।
କିଣନ୍ତୁ ନାହିଁ ଛୋଟ ରସୁଣ: 
ସବୁବେଳେ ଟିକେ ବଡ଼ ଆକାରର ରସୁଣ କିଣନ୍ତୁ। କାହିଁକି ନା ଚୀନ ରସୁଣ ଆକାରରେ ଟିକିଏ ଛୋଟ। ଏହାର ରଙ୍ଗ ହାଲକା ଧଳା କିମ୍ବା ଗୋଲାପୀ ହୋଇପାରେ। ତେବେ ଭାରତରେ ଚାଷ ହେଉଥିବା ରସୁଣର ରଙ୍ଗ ଧଳା କିମ୍ବା ହାଲକା ଗୋଲାପୀ କିମ୍ବା ହାଲକା ମାଟିଆ ହୋଇପାରେ। ଏଗୁଡିକର ଆକାର ଚୀନରୁ ଆସୁଥିବା ଆକୃତି ଅପେକ୍ଷା ଟିକିଏ ବଡ଼।
ବାସ୍ନାରୁ କରନ୍ତୁ ଯାଞ୍ଚ: 
ରସୁଣ ଏହାର ବାସ୍ନା ଓ ସ୍ୱାଦ ପାଇଁ ଜଣାଶୁଣା। ଆମ ଦେଶରେ ଚାଷ ହେଉଥିବା ରସୁଣର ଗନ୍ଧ ବହୁତ ତୀବ୍ର ଏବଂ ସ୍ୱାଦ ମଧ୍ୟ କଠିନ। ହେଲେ ଚୀନ ରସୁଣର ବାସ୍ନା ଟିକେ ହାଲକା। ଯାହାକି ଭାରତୀୟ ରୋଷେଇ ପାଇଁ ଉପଯୁକ୍ତ ନୁହେଁ।
ରସୁଣକୁ ଖାଦ୍ୟରେ ମିଶାଇ ଖାଇଥାନ୍ତି । ଅନେକ ସମସ୍ୟା ପାଇଁ ସକାଳେ ଖାଲି ପେଟରେ ଏହାକୁ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ। ଚିକିତ୍ସା ବିଜ୍ଞାନ ଅନୁସାରେ, ରସୁଣ ରକ୍ତଚାପ ଓ କୋଲେଷ୍ଟ୍ରଲ(ମେଦବହୁଳତା)କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି୬, ଫାଇବର, ମାଙ୍ଗାନିଜ୍, ସେଲେନିୟମ୍ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
ବିଶେଷ ସୂଚନା: ଏହି ଲେଖାଟି କେବଳ ସୂଚନା ପାଇଁ। ଏହା କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ। ଅଧିକ ସୂଚନା ପାଇଁ ସବୁବେଳେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।